ଖୁଲମଖୁଲା ଚାଲିଛି ମଦ ବେପାର

ବରମୁଣ୍ଡା ନିକଟରେ ଜାତୀୟ ରାଜପଥ କଡ଼ରେ ଥିବା ମଦ ଦୋକାନ । ଦେଖନ୍ତୁ ଏହି ଦୃଶ୍ୟକୁ । କେମତି ଖୋଲା ମେଲାରେ ଶହ ଶହ ଲୋକ ପିଉଛନ୍ତି ମଦ । ଖାଲି ମଦ ଦୋକାନ ନୁହେଁ, ଏହି ହତା ଭିତରେ ଖୋଲିଛି ଏକାଧିକ ଚାଖଣା ଦୋକାନ । ଦିନ ନାହିଁ, ରାତି ନାହିଁ, ସବୁବେଳେ ଜମୁଛି ମଦୁଆଙ୍କ ଆସର । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିନା ଲାଇସେନ୍ସରେ ରାଜଧାନୀ ଛାତି ଉପରେ ଚାଲିଛି ଏହି ବେନିୟମ କାରବାର ଆଉ ଜହର ବିକି ନେଉଛି ହଜାର ହଜାର ଜୀବନ । ଅବକାରୀ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ଏହି ଦୋକାନକୁ ମିଳିଛି ହୋଟେଲ ବାର ଲାଇସେନ୍ସ । ଅର୍ଥାତ ଏଠାରେ ରହିବା କଥା ରୁମ ଆକମୋଡେସନ ସହ ବାର କାଉଣ୍ଟର । ମଦ୍ୟପାନ କରିବାକୁ ଚାହୁଁଥିବା ଲୋକ ସେହି ବାରରେ ବସି ମଦ ପିଇପାରିବ । କିନ୍ତୁ ବାହାର ଲୋକଙ୍କୁ ମଦ ବିକ୍ରି କରିପାରିବ ନାହିଁ । ଅବକାରୀ ନିୟମ ଅନୁସାରେ ପାନୀୟ ନିଗମ ଗୋଦାମରୁ ଏହି ଲାଇସେନ୍ସଧାରୀ ବ୍ୟବସାୟୀ କେବଳ ବଡ଼ ବୋତଲ ମଦ କିଣିପାରିବେ । ତେବେ କେଉଁ ନିୟମ ଅନୁସାରେ ଏହି ଦୋକାନରେ ସବୁ ବର୍ଗର ମଦ ବିକ୍ରି କରାଯାଉଛି ତାକୁ ନେଇ ଉଠିଛି ପ୍ରଶ୍ନ ।କେଉଁ ଅବକାରୀ ଅଧିକାରୀଙ୍କ ଛତ୍ରଛାରୟା ତଳେ ଲହି ଦୋକାନ ମାଲିକ ଏମିତି ବେପାର କରୁଛନ୍ତ ତାକୁ ନେଇ ମଧ୍ୟ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରତ୍ୟେକ ବୋତଲରେ ଜୋର ଜବରଦସ୍ତ ଗ୍ରାହକଙ୍କଠାରୁ ୧୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଅଧିକ ନିଆଯାଉଛି । ଏମଆରପି ଠାରୁ ଅଧିକ ଦରରେ ମଦ ବିକ୍ରି କରିନପାରିବାର ନିୟମ ଥିବା ବେଳେ ଅବକାରୀ ବାବୁଙ୍କ ଆଖିକୁ କେମିତି ଦେଖାଯାଉନି ଏହି ମଦ କାଉଂଟର ମଲିକଙ୍କ ଦାଦାଗିରି ? ଦର କଥା ପଚାରିଲେ ମଦ ଦୋକାନରେ ଥିବା ଗୁଣ୍ଡା ଦେଖାଉଛନ୍ତି ନାଲି ଆଖି । କୁହାଯାଉଛି ସଂପୃକ୍ତ ଦୋକାନୀ କୁଆଡ଼େ ଖଣ୍ଡଗିରି ଥାନା ପୋଲିସ ଓ ରାଜ୍ୟ ଅବକାରୀ ବିଭାଗର ବଡ଼ ବାବୁଙ୍କୁ ମାସିକ ଲକ୍ଷ ଲକ୍ଷ ଟଙ୍କା ଚାନ୍ଦା ଦେଇ ଏହି ବେନିୟମ ବେପାର ଚଳାଇଛନ୍ତି । ଏପରିକି ଅବକାରୀ ମନ୍ତ୍ରୀଙ୍କୁ ମଧ୍ୟ ପକେଟରେ ରଖିଛନ୍ତି ବୋଲି ଦାବି କରୁଛନ୍ତି ଏହି ମଦ ବେପାରୀ । ଶାସନକୁ ଆସିଲେ ରାଜ୍ୟରେ ମଦ ବନ୍ଦ କରିବାକୁ କହୁଥିବା ବିଜେପି ସରକାର ମଦ ତ ବନ୍ଦ କରିପାରିଲେନି କିନ୍ତୁ ସମୟ ଆସିଛି ଏହି ମଦ ମାଫିଆଙ୍କୁ ନିୟନ୍ତ୍ରଣକୁ ଆଣନ୍ତୁ । ନହେଲେ ସମାଜ ଏମାନଙ୍କୁ କ୍ଷମା କରିବନି । ବ୍ୟୁରୋ ରିପୋର୍ଟ
